ତାଜା ଖବର

ଶ୍ରଦ୍ଧା କିଏ? ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ । କହିଲେ ଶ୍ରଦ୍ଧା ମୋର ଫିଜିଓ ଥେରାପିଷ୍ଟ


ଭୁବନେଶ୍ବର,ଶ୍ରଦ୍ଧା କିଏ ? ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ରୋମ ଗସ୍ତରେ ସେ କାହିଁକି ଯାଇଥିଲେ ? ତାଙ୍କୁ କିଏ ଟିକେଟ୍ ଦେଇଥିଲା ? ଗତ କିଛି ଦିନ ହେବ ରାଜ୍ୟବାସୀଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଥିଲା। ବିରୋଧୀ ମଧ୍ୟ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ବିରୋଧୀ ଦଳ ପକ୍ଷରୁ ହେଉଥିବା ତୁମ୍ବିତୋଫାନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁହଁ ଖୋଲିଛନ୍ତି। ବିଶେଷ କରି ବିଜେପି ପକ୍ଷରୁ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚରା ଯାଇଥିଲା। ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଏନେଇ ବିବୃତି ଦେଇଛନ୍ତି।

ଆଜି ବିଧାନସଭା ମୌସୁମୀ ଅଧିବେଶନର ଶେଷଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି,  ଶ୍ରଦ୍ଧା ହେଉଛନ୍ତି ମୋ ଫିଜିଓ ଥେରାପିଷ୍ଟ। ମୋ ଭଉଣୀ ଗୀତା ମେହଟ୍ଟା ତାଙ୍କୁ ପଠାଇଥିଲେ। ମୋ ଫିଜିକାଲ୍ ଫିଟ୍‌ନେସ୍‌ ପାଇଁ ମୋ ଭଉଣୀ ତାଙ୍କୁ ପଠାଇଥିଲେ। ଶ୍ରଦ୍ଧା ଙ୍କୁ ଭୁବନେଶ୍ୱରରେ ଏକ ସରକାରୀ ଘର ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାକୁ ଖଣ୍ଡନ କରିଛନ୍ତି। ଶ୍ରଦ୍ଧାଙ୍କୁ ସରକାରୀ ଘର ଦିଆଯାଇ ନାହିଁ ବୋଲି ସେ କହିଛନ୍ତି। ସେହିପରି ତାଙ୍କୁ ସରକାରଙ୍କ ପକ୍ଷରୁ କୌଣସି ଟ୍ରାଭେଲ ବିଲ୍ ବି ଦିଆଯାଇନାହିଁ। ଶ୍ରଦ୍ଧା ସରକାରୀ ଅର୍ଥରେ ଭାଟିକାନ ସିଟି ଯାଇ ନଥିଲେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଭାଟିକାନ ଯାଇଥିବା ବେଳେ ସେଠାରେ ମଧ୍ୟ ଉପସ୍ଥିତ ଥିଲେ ଶ୍ରଦ୍ଧା।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପ୍ରତିକ୍ରିୟା ଦେଇଛନ୍ତି ଜୟନାରାୟଣ ମିଶ୍ର। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବିବୃତି ମନ୍ଦିର ଭିତରେ କିଏ ନା ମୁଁ କଦଳୀ ଖାଇନି ଭଳି। ଗୀତା ମେହେଟ୍ଟାଙ୍କୁ ଏକଥା ପଚାରିବାକୁ ଆମେ କଣ ସ୍ୱର୍ଗକୁ ଯିବୁ। ଓଡ଼ିଶାରେ କ’ଣ ଫିଜିଓ ଥେରାପିଷ୍ଟ ନାହାନ୍ତି ଯେ ଗୋଆରୁ ଆଣିଛନ୍ତି।ମୁଖ୍ୟମନ୍ତ୍ରୀ ଆମକୁ ଠକିବାକୁ ଚେଷ୍ଟା କରିଛନ୍ତି। ‘ମୁଖ୍ୟମନ୍ତ୍ରୀଙ୍କଠାରୁ ବଡ଼ ଜନବିରୋଧୀ ଆଉ କିଏ ଅଛି। 

ସୂଚନାଯୋଗ୍ୟ, ଶ୍ରଦ୍ଧା ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ହଟ୍ଟଗୋଳ କରିବା ସହ ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣା ଦେଇ ମୁଖ୍ୟମନ୍ତ୍ରୀଙ୍କ ସହ ଶ୍ରଦ୍ଧାଙ୍କ ସମ୍ପର୍କ କ’ଣ ଓ ସେ କାହିଁକି ଭାଟିକାନ ସିଟି ଯାଇଥିଲେ ବୋଲି ପ୍ରଶ୍ନ କରିଥିଲେ । ଶ୍ରଦ୍ଧା ସମ୍ପର୍କିତ ଚର୍ଚ୍ଚାକୁ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହ ବିବରଣୀରୁ ବାଦ୍ ଦେବା ସହ ଏ ସମ୍ପର୍କରେ ତଥ୍ୟ ପ୍ରକାଶିତ ନକରିବା ଉପରେ କଟକଣା ଜାରି କରିଥିଲେ । ତେବେ ବିରୋଧୀ ଦଳ ଏହି ପ୍ରସଙ୍ଗକୁ ନେଇ ଗୃହ ବାହାରେ ନିଜର ପ୍ରତିବାଦ ଓ ସ୍ୱର ଶାଣିତ କରିଥିଲେ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପୁଳାପୁଳା କେଳେଙ୍କାରୀ ଧରିଲେ ସିଏଜି । ଫେରିଗଲା ୫.୨୭ଲକ୍ଷ ଘର


ଭୁବନେଶ୍ବର, ଗରିବ ଲୋକଙ୍କ ମୁଣ୍ଡରେ ଛାତଟିଏ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣର ଏ ହେଉଛି ବିକଟାଳ ଚିତ୍ର । ପିଏଆବାସ ଯୋଜନାରେ ରାଜ୍ୟ ସରକାର କିଛି ବି ନିୟମକାନୁନ ମାନିନାହାନ୍ତି । ମନଇଚ୍ଛା ପାଣ୍ଠି ଖର୍ଚ୍ଚଠୁ ଆରମ୍ଭ କରି ଘର ଆବଂଟନ ସବୁଥିରେ ଅନିୟମିତତା ହୋଇଥିବା ଜଣାପଡ଼ିଛି । ଆଜି ସିଏଜି ତାଙ୍କ ଅଡିଟ୍ ରିପୋର୍ଟରେ ଏସବୁର ଗୁମର ଖୋଲିଛନ୍ତି । କିଏ ଦୋକାନ ଘର ତିଆରି କରିଛି ତ କିଏ ରାଜପ୍ରସାଦ ଭଳି ଘର ଆଉ କିଏ ବିଲକୁଲ୍ ଘର ନକରି ବି ଘରବାବଦ ସମ୍ପୂର୍ଣ୍ଣ ଟଙ୍କା ନେଇଛି । କେଉଁଠି ଗ୍ରାମସଭାରେ ଅନୁମୋଦନ ହୋଇଥିବା ଯୋଗ୍ୟ ହିତାଧିକାରୀ ତାଲିକାକୁ ବ୍ଲକ କର୍ତ୍ତୃପକ୍ଷ ନମାନି ଅଯୋଗ୍ୟ ହିତାଧିକାରୀଙ୍କୁ ସ୍ଥାୟୀ ଅପେକ୍ଷାରତ ତାଲିକାରେ ସାମିଲ କରିଛନ୍ତି ତ କେଉଁଠି ବିଲକୁଲ୍ ପ୍ରାଥମିକ ତାଲିକାରେ ନଥାଇ ବି ଘର ଆବଂଟନ ହୋଇଛି । ଆଉ କେଉଁଠି ରାଜ୍ୟ ସରକାର ନିଜ ହାତପାଣ୍ଠି ଖର୍ଚ୍ଚ ପାଇଁ ଏହି ଘରବାବଦରେ ଆସୁଥିବା ଟଙ୍କାକୁ ଘରୋଇ ବ୍ୟାଙ୍କରେ ରଖି ନିଜ ଖର୍ଚ୍ଚପାଣି ଉଠାଇଛନ୍ତି ତ କେଉଁଠି ନିଜର ରାଜନୀତିକ ବ୍ରାଣ୍ଡିଂ ପାଇଁ ଗୋଟିଏ ଲେଖାଏଁ ଲୋଗୋ ତିଆରି କରିବାକୁ ୫୮୪ଟଙ୍କା ଖର୍ଚ୍ଚ କରିବାକୁ ପଛାଇ ନାହାନ୍ତି । ଆଉ ରାଜ୍ୟ ସରକାରଙ୍କ ଏଭଳି ଦୁର୍ନୀତି ଓ ଅନିୟମିତତା ସହ ବ୍ୟାପକ କେଳେଙ୍କାରୀ ଯୋଗୁ ବାରମ୍ବାର ସମୟସୀମା ବୃଦ୍ଧି ସତ୍ତ୍ୱେ ୧୨.୨୫ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କଲେନି । ଏପରିକି ମଞ୍ଜୁର ହୋଇଥିବା ୫.୨୭ଲକ୍ଷ ଘର ବି ଫେରସ୍ତ ଚାଲିଗଲା । 

ଆଜି ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ସାଧାରଣ ଓ ସାମାଜିକ କ୍ଷେତ୍ର ଉପରେ ୩ଟି ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି । ୨୦୨୧ ମାର୍ଚ୍ଚ ଶେଷସୁଦ୍ଧା ସ୍ୱାୟତ୍ତ ସଂସ୍ଥାଗୁଡ଼ିକ (ପଂଚାୟତିରାଜ ଓ ସହରାଂଚଳ ସ୍ଥାନୀୟ ସଂସ୍ଥା)ଗୁଡ଼ିକ ଉପରେ ଆଧାରିତ ସିଏଜି ରିପୋର୍ଟରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପିଏମଆବାସ ଯୋଜନାର ବ୍ୟାପକ ଅନିୟମିତତା ଓ ଦୁର୍ନୀତିକୁ ଦର୍ଶାଇଛନ୍ତି । ସିଏଜି କହିଛନ୍ତି ଯେ, ଯେଉଁମାନେ ଜରାଜୀର୍ଣ୍ଣ ଓ କଚ୍ଚା ଘରେ ରହୁଛନ୍ତି ସେମାନଙ୍କୁ ୨୦୨୨ ମସିହା ସୁଦ୍ଧା ମୌଳିକ ସୁବିଧା ସହ ବାସଘର ଦେବା ଉଦ୍ଦେଶ୍ୟରେ ୨୦୧୬ ଏପ୍ରିଲ ପହିଲାରୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) କାର୍ଯ୍ୟକାରୀ ହେଉଛି । ୨୦୧୬-୧୭ରୁ ୨୦୨୦-୨୧ ମସିହା ମଧ୍ୟରେ ଏହି ପିଏମଆବାସ ଯୋଜନାର କାର୍ଯ୍ୟକାରିତାର ଅଡିଟ୍ ୮ଟି ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଳାହାଣ୍ଡି, ମୟୂରଭଞ୍ଜ, ନୂଆପଡ଼ା ଓ ସୋନପୁରରେ ସିଏଜି କରିଥିଲେ । ପ୍ରତି ଜିଲ୍ଲା ଓ ପଂଚାୟତ ସମିତି(ବ୍ଲକ)ରୁ ୩ଟି ଲେଖାଏଁ ଗ୍ରାମପଂଚାୟତରେ ଏହି ଅଡିଟ୍ ହୋଇଥିଲା । 

ଅଡଟ୍ରୁ ଜଣାପଡ଼ିଲା ଯେ, ଏହି ପିଏମଆବାସ ଯୋଜନାର ହିତାଧିକାରୀ ଚୟନ ନିମନ୍ତେ କେନ୍ଦ୍ର ସରକାର ସାମାଜିକ ଆର୍ଥିକ ଓ ଜାତି ଜନଗଣନା(ଏସଇସିସି-୨୦୧୧ ତାଲିକା)ର ତଥ୍ୟ ଓ ଗ୍ରାମସଭାରେ ସ୍ଥାୟୀ ୱେଟିଂ ଲିଷ୍ଟର ଚୂଡ଼ାନ୍ତ ସହିତ ଯୋଗ୍ୟ ହିତାଧିକାରୀମାନଙ୍କ ଚିହ୍ନଟ  କରିବାକୁ ରାଜ୍ୟ ସରକାରଙ୍କୁ କହିଥିଲେ । ତେବେ ଗ୍ରାମସଭା ଦ୍ୱାରା ଚିହ୍ନଟ ହୋଇଥିବା ୮.୫୯ଲକ୍ଷ ହିତାଧିକାରୀଙ୍କୁ ଅନିୟମିତ ଭାବେ ରାଜ୍ୟ ସରକାର ସ୍ଥାୟୀ ୱେଟିଂ ଲିଷ୍ଟରୁ ବାଦ୍ ଦେଲେ ଓ ସେମାନେ ଯୋଜନାରୁ ବଂଚିତ ହେଲେ । ସେହିପରି ସ୍ଥାୟୀ ୱେଟିଂ ଲିଷ୍ଟକୁ ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟ ସରକାର ଚୂଡ଼ାନ୍ତ ନକରିବାରୁ ମଞ୍ଜୁରୀପ୍ରାପ୍ତ ୫.୨୭ଲକ୍ଷ ଘରକୁ ରାଜ୍ୟ ସରକାର ବାଧ୍ୟ ହୋଇ ଫେରସ୍ତ କରିଥିଲେ । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା ସ୍ଥରୀକୃତ ସମୟସୀମା ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାରେ ରାଜ୍ୟ ବିଫଳ ହେବାରୁ ୧୨.୨୫ଲକ୍ଷ ହିତାଧିକାରୀ ସ୍ଥାୟୀ ୱେଟିଂ ଲିଷ୍ଟରେ ସାମିଲ ହୋଇପାରିଲେ ନାହିଁ ଓ ଯୋଜନାରୁ ବଂଚିତ ହେଲେ । 

ପିଏମଆବାସ ଯୋଜନା ପାଇଁ ଉଦ୍ଦିଷ୍ଟ ମାନଦଣ୍ଡକୁ ଉଲ୍ଲଘଂନ କରି ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଆବଂଟନ ହୋଇଛି । ଯଦିଓ ଗ୍ରାମସଭା ୨୭.୪୫ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିଥିଲା କିନ୍ତୁ ରାଜ୍ୟ ସ୍ଥାୟୀ ୱେଟିଂ ଲିଷ୍ଟରେ ୨୦୨୧ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ୧୮.୮୬ଲକ୍ଷ ହିତାଧିକାରୀ ଥିଲେ, ତେଣୁ ୮.୫୯ଲକ୍ଷ ହିତାଧିକାରୀ ବାଦ୍ ପଡ଼ିଲେ । ଏହି ହିତାଧିକାରୀଙ୍କୁ ସାମିଲ ପାଇଁ କେନ୍ଦ୍ର ସରକାର ୪ଥର ଆବାସ ଯୋଜନାର ୱିଣ୍ଡୋ ଖୋଲିବା ସତ୍ତ୍ୱେ ରାଜ୍ୟ ସରକାର ଏହି ହିତାଧିକାରୀମାନଙ୍କୁ ସେଥିରେ ସାମିଲ କରିବାରେ ବିଫଳ ହୋଇଥିଲେ । ଅଡିଟରୁ ଜଣାପଡ଼ିଲା ଯେ ପଂଚାୟତସ୍ତରରେ ଅନୁସୂଚିତ ଜାତି,ଜନଜାତି ଓ ଅନ୍ୟାନ୍ୟ ସଂଖ୍ୟାଲଘୁ ବର୍ଗଙ୍କୁ ଗୁରୁତ୍ୱ ଦେଇ ପ୍ରାଥମିକତା ତାଲିକା ପ୍ରସ୍ତୁତ ହୋଇନଥିଲା ।

୨୦୧୬-୨୧ ମସିହା ମଧ୍ୟରେ ୧୮.୩୮ଲକ୍ଷ ଘର ମଞ୍ଜୁରୀ ହୋଇଥିଲାବେଳେ ସେଥିରୁ ୧୫.୮୦ଲକ୍ଷ ଘର ସମ୍ପୂର୍ଣ୍ଣ ଓ ୨.୫୮ଲକ୍ଷ ଘର ଅସମ୍ପୂର୍ଣ୍ଣ ହୋଇ ରହିଛି । କିନ୍ତୁ ସରକାର ଏହି ତଥ୍ୟରେ ବି ଘୋଟାଲ କରିଛନ୍ତି । ଅଡିଟରୁ ଜଣାପଡ଼ିଲା ଯେ, ୮ଟି ଜିଲ୍ଲାରେ ୭.୩୧ଲକ୍ଷ ମଞ୍ଜୁରୀ ହୋଇଛି ଓ ସେଥିରୁ ୧.୦୪ଲକ୍ଷ ଘର ଅସମ୍ପୂର୍ଣ୍ଣ ହୋଇ ରହିଛି । କେତେକ ଘର ପାଇଁ ଆର୍ଥିକ କିସ୍ତି ପ୍ରଦାନ ଅବଧି ସର୍ବାଧିକ ୪ବର୍ଷରୁ ଅଧିକ ସମୟ ଅର୍ଥାତ୍ ୧୫୭୬ଦିନ ଲାଗିଛି ।

ବିଜୁ ପକ୍କାଘର ଓ ପିଏମଆବାସ ଯୋଜନାର ମିଳିତ ବ୍ରାଣ୍ଡିଂ କରିବା ପାଇଁ ଲୋଗୋ କିଣା ବାବଦରେ ୮.୭୪କୋଟି ଟଙ୍କା ସରକାର ଖର୍ଚ୍ଚ କରିଛନ୍ତି । ୬୨ଟଙ୍କାରୁ ୫୮୪ଟଙ୍କା ମଧ୍ୟରେ ଏହି ଲୋଗୋ କିଣା ହୋଇଛି । ୨୦୧୬-୧୭ରୁ ୨୦୨୦-୨୧ ମଧ୍ୟରେ ପିଏମଆବାସ ଯୋଜନାର ସୋସିଆଲ ଅଡିଟ୍ ହୋଇନଥିବାରୁ ଲୋକେ ଏହି ଯୋଜନାରେ କାହାରି ଉତ୍ତରଦାୟିତ୍ୱ ରହିନଥିଲା ବୋଲି ସିଏଜି କହିଛନ୍ତି । ସେହିପରି ୨୦୧୬-୧୭ରୁ ୨୦୨୦-୨୧ ଅବଧି ମଧ୍ୟରେ ପଞ୍ଜିକରଣ ଓ ମଞ୍ଜୁର ହୋଇଥିବା ଘରର ତଥ୍ୟ ୨୦୨୧ ଜୁଲାଇ ୩୧ ସୁଦ୍ଧା ଦେବାରେ ପଂଚାୟତିରାଜ ବିଭାଗ ସକ୍ଷମ ହୋଇପାରିଲା ନାହିଁ ବୋଲି ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।

କୋଷାଗୁମୁଡ଼ା ବ୍ଲକ ଓ ନନ୍ଦାହାଣ୍ଡି ବ୍ଲକରେ ଘର ନିର୍ମାଣ ନକରି ବି ୪ଟି ମାମଲାରେ ମିଛ ଫଟୋ ଅପଲୋଡ୍ କରି ଗୃହନିର୍ମାଣ ବାବଦ ଟଙ୍କା ନିଆଯାଇଛି । ସେହିପରି ମାନଗୋବିନ୍ଦପୁର ପଂଚାୟତରେ ହରେକୃଷ୍ଣ ପ୍ରଧାନ ନାମକ ହିତାଧିକାରୀ ପିଏମଆବାସ ଯୋଜନାରେ ଘର ନେଇ ଦୋକାନଘର ତିଆରି କରିଛନ୍ତି । ସେହିପରି ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ପଂଚାୟତର ସୋମନାଥ ପୂଜାରୀ ପିଏମଆବାସ ଘର ନେଇ ୬ଟି ଘର ଥିବା ବିଶାଳ ଘର ତିଆରି କରିଛନ୍ତି । ଗରିବ ଯୋଗ୍ୟ ହିତାଧିକାରୀଙ୍କ ପେଟରେ ଲାତ ମାରି ସେମାନଙ୍କୁ ସେଭଳି ଦୟନୀୟ ଅବସ୍ଥାରେ ରହିବାକୁ ଛାଡ଼ି ଦେଇ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ନିଜ ରାଜନୀତିକ କର୍ମୀ ଓ ନେତାମାନଙ୍କୁ ସୁହାଇବା ଭଳି ନିଷ୍ପତ୍ତି ନେଇଛି, ଯେଉଁଥିପାଇଁ ଏବେବି ଲକ୍ଷଲକ୍ଷ ଯୋଗ୍ୟ ହିତାଧିକାରୀ ଘରଟିଏ ପାଇବାକୁ ସକ୍ଷମ ହୋଇନଥିବା ଜଣାପଡ଼ିଛି ।

କଟକ ବଡ଼ ମେଡିକାଲରେ ବଡ଼ ଅବ୍ୟବସ୍ଥା । ଲାଇନ୍ ନଥିବାରୁ ମୋବାଇଲ୍ ଲାଇଟରେ ହେଉଛି ରୋଗୀ ସେବା


କଟକ, କଟକ ବଡ଼ ମେଡିକାଲରେ ବଡ଼ ଅବ୍ୟବସ୍ଥା। ବଡ଼ ମେଡିକାଲରେ ମୋବାଇଲ୍ ଲାଇଟରେ ହେଉଛି ରୋଗୀ ସେବା। ପୁଣି ଘଣ୍ଟା ଘଣ୍ଟା ଲାଇନ୍ ନଥିବାରୁ ରୋଗୀ ହେଉଛନ୍ତି କଲବଲ। ନିଦାନ ବିଭାଗରେ ଟେଷ୍ଟିଂ ବି ବନ୍ଦ। ରୋଗୀଙ୍କ ଜୀବନ ସହ ଚାଲିଥିବା ଏ ଖେଳକୁ ବି କ’ଣ ବିଶ୍ୱସ୍ତରୀୟ ବୋଲି ପ୍ରଶ୍ନ କଲେଣି ରୋଗୀଙ୍କ ସଂପର୍କୀୟ। ଆଜି ପୁଣି ନିଦାନ ବିଭାଗରେ ବିଦ୍ୟୁତ୍ ବିଭ୍ରାଟ ହୋଇଛି। ସୂଚନା ଅନୁସାରେ ନିଦାନ ବିଭାଗରେ ପ୍ରାୟ ୬ଘଣ୍ଟା ହେଲାଣି ବିଦ୍ୟୁତ ନାହିଁ। ନିଦାନ ବିଭାଗରେ ବିଦ୍ୟୁତ ନ ଥିବାରୁ ବିଭିନ୍ନ ପରୀକ୍ଷା ବାଧାପ୍ରାପ୍ତ ହୋଇଛି। ରକ୍ତ ପରୀକ୍ଷା ଓ ସିଟି ସ୍କାନ ବନ୍ଦ ରହିଛି। ଏହାଫଳରେ ବହୁ ଗୁରୁତର ରୋଗୀଙ୍କ ଚିକିତ୍ସାରେ ସମସ୍ୟା ଉପୁଜିଛି।

ଏଥିଯୋଗୁଁ ମେଡ଼ିସିନ୍‌ ବିଭାଗରେ ରୋଗୀଙ୍କୁ ମୋବାଇଲ୍‌ ଲାଇଟ୍‌ରେ ଇଞ୍ଜେକ୍ସନ୍‌ ଦିଆଯାଇଥିଲା। ଶବ ସଂରକ୍ଷଣ ଗୃହରେ ଲାଇନ୍‌ ନ ଥିବାରୁ ସମ୍ପୃକ୍ତ ଅଞ୍ଚଳ ଦୁର୍ଗନ୍ଧରେ ଫା‌ଟି ପଡ଼ିଥିଲା। କିଛି ଘଣ୍ଟା ପରେ ଡିଜିରେ ବିଦ୍ୟୁତ୍‌ ଯୋଗାଣ କରାଯାଇଥିଲା। ଏହାସତ୍ତ୍ବେ ୱାର୍ଡରେ ପଙ୍ଖା ନ ଚାଲିବାରୁ ରୋଗୀମାନେ ହନ୍ତସନ୍ତ ହୋଇଥିଲେ। ଏପରି କି, ପମ୍ପ ହାଉସ୍‌ରେ ଲାଇନ୍‌ ନ ଥିବାରୁ ଦିନ ୧୦ଟା ପର୍ଯ୍ୟନ୍ତ ବିଭିନ୍ନ ୱାର୍ଡକୁ ଜଳଯୋଗାଣ ହୋଇପାରି ନ ଥିଲା। କେବୁଲ୍‌ ସମସ୍ୟା ଯୋଗୁଁ  ସକାଳ ୭ଟାରୁ ଏସ୍‌ସିବି ଆନାଟୋମି ବିଭାଗ, ଶବ ସଂରକ୍ଷଣ ଗୃହ, ଶବ ବ୍ୟବଚ୍ଛେଦ ଗୃହ, ସ୍କିନ୍ ବିଭାଗ, ମେଡ଼ିସିନ୍‌ ବିଭାଗର କିଛି ଅଂଶ, ମେରୁଦଣ୍ଡ ଆଘାତ କେନ୍ଦ୍ର, ପମ୍ପ ହାଉସ୍‌, ଲଣ୍ଡ୍ରି ପ୍ଲାଣ୍ଟ ଆଦିରେ ବିଦ୍ୟୁତ୍‌ ସେବାରେ ଏଭଳି ବିଭ୍ରାଟ ଦେଖା ଦେଇଥିବା ଜଣାଯାଇଥିଲା।

ଏସ୍‌ସିବିକୁ ସରକାର ବିଶ୍ୱସ୍ତରୀୟ ମେଡିକାଲ କରିଥିବା କହୁଥିବେଳେ ଏଠାରେ ଥିବା ଅବ୍ୟବସ୍ଥାକୁ ନେଇ କ୍ଷୋଭ ପ୍ରକାଶ କରୁଛନ୍ତି ରୋଗୀଙ୍କ ସମ୍ପର୍କୀୟ। କେବଳ ଅଭିଯୋଗ ଆସିନି ବରଂ ଏସ୍‌ସିବିରେ ଚାଲିଥିବା ଅବ୍ୟବସ୍ଥାର ଦୁଇଟି ତାଜା ଅଦେଖା ଚିତ୍ର ବି ସମସ୍ତଙ୍କ ସାମ୍ନାକୁ ଆସିଛି। ଗୋଟିଏ ମୋବାଇଲ୍ ଲାଇଟରେ ରୋଗୀସେବା ବେଳର ଦୃଶ୍ୟ ଓ ଅନ୍ୟଟି ହେଲା ଲାଇନ୍ ନଥିବାରୁ ନିଦାନ ବିଭାଗରେ ପଡ଼ିଛି ତାଲା।
ଶନିବାର କଟକ ବଡ଼ ମେଡିକାଲ୍ ମେଡିସିନ୍ ବିଭାଗରେ ଲାଇନ୍ ନଥିବାରୁ ମୋବାଇଲ୍ ଲାଇଟରେ କାହାକୁ ଇଂଜେକସନ ତ କାହାକୁ ଔଷଧ ଦିଆଯାଇଥିଲା। ଏମିତି କି କାଲି ୧୦ ଘଣ୍ଟା ଆଉ ଆଜି ବି ପୂରା ଦିନ ତମାମ୍ ବିନା ବିଜୁଳିରେ ଚାଲିଥିଲା ମେଡିକାଲ୍। ରୋଗୀ କଲବଲ ହେବା ସହ ସେମାନଙ୍କ ସହ ଆସିଥିବା ସଂପର୍କୀୟ ବି ଯମ ଯନ୍ତ୍ରଣାରେ ଛଟପଟ ହୋଇଛନ୍ତି।ଏଣେ ଲାଇନ୍ ନଥିବାରୁ ଇଣ୍ଡୋର ପେସେଣ୍ଟଙ୍କ ପାଇଁ ଉଦ୍ଦିଷ୍ଟ ନିଦାନ କେନ୍ଦ୍ରରେ ବି ତାଲା ପଡ଼ିଛି। ରକ୍ତ ପରୀକ୍ଷା ଓ ସିଟି ସ୍କାନ ବନ୍ଦ ହୋଇ ଯାଇଛି। ଗୋଟିଏ ପଟେ ଅନ୍ଧାର ଓ ଗରମରେ ସଢୁଥିବା ରୋଗୀ ମୂକ ପାଲଟି ଯାଇଛନ୍ତି। ସଂପର୍କୀୟଙ୍କ ପ୍ରଶ୍ନ ଖାଲି ବଡ଼ ବଡ଼ କଥାରେ କ’ଣ ରୋଗୀ ବଞ୍ଚିଯିବେ?

ବିଶ୍ୱସ୍ତରୀୟ ମେଡିକାଲର ଡିଣ୍ଡିମ ପିଟା ଚାଲିଥିବା ଏସସିବିରେ ଅବ୍ୟବସ୍ଥାର ଚିତ୍ର ନୂଆ ନୁହେଁ। ୨୦୨୨ ମସିହା ମେ’ ୭ ତାରିଖରେ କଟକ ବଡ଼ ମେଡିକାଲରେ ମୃତଦେହ ଉପରେ ରୋଗୀସେବାର ଅଭିଯୋଗ ସାରା ରାଜ୍ୟବାସୀଙ୍କୁ ଆଚମ୍ବିତ କରିଥିଲା। ସେହିପରି ୨୦-୦୪-୨୦୨୨ରେ ଷ୍ଟ୍ରେଚରେ ରୋଗୀ ନେବାକୁ ହେଲେ କେମିତି ରୋଗୀଙ୍କ ସଂପର୍କୀୟଙ୍କୁ ନିଜ ମୋବାଇଲ୍ ବନ୍ଧା ରଖିବାକୁ ପଡୁଥିଲା, ସେ ଖବର ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଆଉ ଗତ ଅଗଷ୍ଟ ୧ରେ ମେଡିକାଲ ଭିତରେ ପାଣିର ସୁଅ, ଯେମିତି ପୂରା ଢିଲା ବ୍ୟବସ୍ଥାର ପୋଲ୍ ଖୋଲି ଦେଇଥିଲା। ଅବ୍ୟବସ୍ଥା ମଧ୍ୟରେ ରାଜ୍ୟର ସବୁଠାରୁ ବଡ଼ ହସ୍ପିଟାଲରେ ରୋଗୀ ସେବା ଚାଲିଥିବା ବେଳେ ପ୍ରଶାସନ ଦୋଷ ଲଦାଲଦିରେ ବ୍ୟବସ୍ତ। ଏସସିବି ମେଡିକାଲ ଇଲେକ୍ଟ୍ରିକ୍ ମେଣ୍ଟେନାନସ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଉପରକୁ ଦୋଷ ଠେଲି ନିଜ ଅସହାୟତା ପ୍ରକାଶ କରିଛନ୍ତି ଅଧୀକ୍ଷକ ଡାକ୍ତର ସୁଧାଂଶୁ ମିଶ୍ର।

୩୫୦ ବର୍ଷ ପରେ ବ୍ରିଟେନରୁ ଭାରତକୁ ଫେରିବ ଛତ୍ରପତି ଶିବାଜୀଙ୍କ 'ବାଘ ନଖ' । ଯେଉଁ ବାଘ ନଖରେ ଅଫଜଲ ଖାନକୁ ମାରିଥିଲେ


ନୁଆଦିଲ୍ଲୀ,ନଭେମ୍ବରରେ ଫେରିବ ଛତ୍ରପତି ଶିବାଜୀ ମହାରାଜଙ୍କ 'ବାଘ ନଖ'। ଶିବାଜୀଙ୍କ ୩୫୦ତମ ରାଜ୍ୟାଭିଶେଷକ ଉତ୍ସବ ପାଳନ ଅବସରରେ ଏହି ଅସ୍ତ୍ର ବ୍ରିଟେନରୁ ଫେରିବ। ପୂର୍ବରୁ ଏନେଇ ବ୍ରିଟେନ ସରକାରଙ୍କ ସହ କଥାବାର୍ତ୍ତା ସରିଥିଲା। ଆସନ୍ତା ମଙ୍ଗଳବାର ମହାରାଷ୍ଟ୍ରର ସଂସ୍କୃତି ମନ୍ତ୍ରୀ ସୁଧୀର ମୁଙ୍ଗନ୍ତୀୱାର ଲଣ୍ଡନ ଗସ୍ତ କରିବେ। ସେଠାରେ ପହଞ୍ଚିବା ପରେ ଅସ୍ତ୍ରଶସ୍ତ୍ର ଫେରସ୍ତ ପାଇଁ ସଂଗ୍ରହାଳୟ ସହ ଏକ ଚୁକ୍ତି ସ୍ୱାକ୍ଷର କରିବେ। ମୁଙ୍ଗନ୍ତୀୱାର କହିଛନ୍ତି ଯେ, ବ୍ରିଟେନରୁ ଆମେ ପ୍ରଥମ ପର୍ଯ୍ୟାୟରେ ବାଘ ନଖ ଫେରାଇ ଆଣିବୁ। ନଭେମ୍ବରରେ ଏହାକୁ ଭାରତ ଅଣାଯିବ। ସେଥିପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି।

ଯେଉଁ ଦିନ ଛତ୍ରପତି ଶିବାଜୀ ମହାରାଜ ଅଫଜଲ ଖାନକୁ ମାରିଥିଲେ ସେହି ଦିନ ବାଘନଖ ଫେରାଇ ଆଣିବାକୁ ପ୍ରୟାସ ଚାଲିଥିବା ମୁଙ୍ଗନ୍ତୀୱାର ଚଳିତ ମାସ ଆରମ୍ଭରେ କହିଥିଲେ। ୧୬୫୯ ମସିହାରେ ପ୍ରତାପଗଡ ଯୁଦ୍ଧରେ ମରାଠା ବିଜୟ ଛତ୍ରପତି ଶିବାଜୀଙ୍କ ମରାଠା ସାମ୍ରାଜ୍ୟ ପ୍ରତିଷ୍ଠା ଅଭିଯାନରେ ଏକ ପରିବର୍ତ୍ତନ ଆଣିଥିଲା। ସେ ୧୬୫୯ ମସିହାରେ ବିଜେପୁର ସୁଲତାନର ଜେନେରାଲ ଅଫଜଲ ଖାନକୁ ପରାସ୍ତ କରି ଏହି ବିଜୟ ହାସଲ କରିଥିଲେ। ବାଘ ନଖରେ ହିଁ ମହାରାଜା ଶିବାଜୀ ଅଫଜଲ ଖାନକୁ ମାରିଥିଲେ। ଇଂରେଜମାନେ ମହାରାଜଙ୍କ ଏହି ସ୍ମୃତି ବ୍ରିଟେନ ନେଇଯାଇଥିଲା। ଇଂଲଣ୍ଡର ଭିକ୍ଟୋରିଆ ଆଣ୍ଡ ଅଲବର୍ଟ ସଂଗ୍ରହାଳୟରେ ବର୍ତ୍ତମାନ ବାଘ ନଖ ରହିଛି। ନଭେମ୍ବରରେ ଏହା ମହାରାଷ୍ଟ୍ରକୁ ଫେରିବ। ବାଘ ନଖକୁ ଦକ୍ଷିଣ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ସଂଗ୍ରହାଳୟରେ ରଖାଯିବ ବୋଲି କୁହାଯାଉଛି।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପାଇଁ ହାଇପାୱାର କମିଟି ଗଠନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ


ପୁରୀ, ଆଜି ରତ୍ନଭଣ୍ଡାର ମାମଲାରେ ପ୍ରକାଶ ପାଇଛି ହାଇକୋର୍ଟରେ ରାୟ । ହାଇକୋର୍ଟରେ ବିଚାରଧୀନ ଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟ ଅପରାହ୍ନ ୨ଟା ରାୟ ପ୍ରକାଶ ପାଇଛି । ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ଏବଂ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଖଣ୍ଡପୀଠ ପୂର୍ବ ରାୟ ସଂରକ୍ଷିତ ରଖିଥିଲେ ରାୟ  । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ମାମଲାରେ ଆଜି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ। ରତ୍ନଭଣ୍ଡାର ଭିତରେ ଥିବା ସମ୍ପତ୍ତିର ଆକଳନ ପାଇଁ ଏକ ହାଇପାୱାର କମିଟି ଗଠନ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଆବେଦନ କରିବାର ଦୁଇ ମାସ ମଧ୍ୟରେ ରାଜ୍ୟ ସରକାର କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସମ୍ପୂର୍ଣ୍ଣ ବିପଦଶଙ୍କୁଳ ଅବସ୍ଥାରେ ରତ୍ନଭଣ୍ଡାର ଛାତ, ମରାମତି ନହେଲେ ଭୁଶୁଡ଼ି ଯିବାର ଭୟ ! ପୂର୍ବରୁ ଏଏସଆଇ ପକ୍ଷରୁ ଏମିତି ରିପୋର୍ଟ ଦିଆଯିବା ସତ୍ବେ ରତ୍ନଭଣ୍ଡାର ଖୋଲିବାକୁ ରାଜି ହେଉ ନ ଥିଲେ ଓଡ଼ିଶା ସରକାର ।

ଏବେ ଏହି ମାମଲାରେ ଦୃଢ଼ ହସ୍ତକ୍ଷେପ କରିଛନ୍ତି ହାଇକୋର୍ଟ । ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ରତ୍ନଭଣ୍ଡାର ଖୋଲିବା ପାଇଁ ଏକ ହାଇପାୱାର କମିଟି ଗଠନ କର । ଶ୍ରୀମନ୍ଦିର ପରିଚାଳନା କମିଟିର ସୁପାରିଶ ପରେ ଦୁଇ ମାସ ମଧ୍ୟରେ ରତ୍ନଭଣ୍ଡାର ଭିତରେ ଥିବା ବିଭିନ୍ନ ଅଳଙ୍କାର ଆଦିର ଯାଂଚ ପାଇଁ ହାଇପାୱାର କମିଟି ଗଠନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ରତ୍ନଭଣ୍ଡାର ଖୋଲିବା ନେଇ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ଆଗତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ। 

ରତ୍ନଭଣ୍ଡାର ଅସୁରକ୍ଷିତ, ଜାଣି ବି ଖୋଲିବା ନେଇ କାହିଁକି ଟାଳଟୁଳ ନୀତି ଅବଲମ୍ବନ କରୁଥିଲେ ସରକାର। ଅଭିଯୋଗ ହେଉଛି ଏହା ପଛରେ ରହିଛି ବିଜେଡି ସରକାରଙ୍କ ଜଗନ୍ନାଥ ଓ ସନାତନ ବିରୋଧୀ ଆଭିମୁଖ୍ୟ। କେବଳ ରତ୍ନଭଣ୍ଡାର ନୁହେଁ ବ୍ରହ୍ମବିଭ୍ରାଟରୁ ନେଇ ନୀତି ବିଭ୍ରାଟ, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ବିବାଦୀୟ ରହିଆସିଛି ଓଡ଼ିଶା ସରକାରଙ୍କ ଭୂମିକା। ବାରମ୍ବାର ସାମ୍ନାକୁ ଆସିଛି ସରକାରଙ୍କ ପରିଚାଳନାଗତ ତ୍ରୁଟି ଓ ଖାମଖିଆଲ ମନୋଭାବ। 

2015 ନବକଳେବର ସମୟରେ ବ୍ରହ୍ମ ପରିବର୍ତ୍ତନ ସମୟରେ ହେଲା ଘୋର ବିଭ୍ରାଟ। ସାମ୍ନାକୁ ଆସିଲା ରାଜ୍ୟ ସରକାରଙ୍କ ଚରମ ଅବହେଳା ଓ ଅପାରଗତା । କୋରୋନା ସମୟରେ ବାହାନା କରି ରଥଯାତ୍ରା ବନ୍ଦ କରିବାକୁ ଚାହୁଁଥିଲେ ରାଜ୍ୟ ସରକାର। କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ ପରେ ସୁରୁଖୁରୁରେ ରଥଯାତ୍ରା ହେଲା।  ଚାରିଦ୍ବାର ଖୋଲା ପ୍ରସଙ୍ଗରେ ମଧ୍ୟ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭୂଆଁ ବୁଲାଇଛନ୍ତି ସରକାର ।

ଏବେ କେବଳ ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି ଭକ୍ତ । ଚାରିଦ୍ବାର ଖୋଲିବା ପାଇଁ ବିଭିନ୍ନ ମହଲରୁ ଦାବି ସତ୍ବେ ନିଜ ଜିଦରେ ଅଟଳ ରହିଛନ୍ତି ସରକାର । 4 – ନୀତି ବିଭ୍ରାଟ – ଶ୍ରୀମନ୍ଦିରରେ ନୀତି ବିଭ୍ରାଟ ପାଲଟି ଯାଇଛି ସରକାରୀ ନୀତି । ନିୟମିତ ହେଉନାହିଁ ବନକ ଲାଗି । ପ୍ରାୟ 4 ମାସ ବନ୍ଦ ରହିବା ପରେ ନିଷ୍ପତ୍ତି ହୋଇଥିଲା ମାସକୁ ଦୁଇ ଥର ବନକ ଲାଗି କରାଯିବ। କିନ୍ତୁ ଏବେ ପୁଣି ମାସକ ହେଲା ଏହି ନୀତି ବନ୍ଦ ରହିଛି। 5 – ରତ୍ନ ଭଣ୍ଡାର -  ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ତ ସବୁ ସୀମା ଟପିଛି ସରକାରଙ୍କ କେଳେଙ୍କାରୀ। ବର୍ଷ ପରେ ବର୍ଷ ବିଭିନ୍ନ ଆଳ ଦେଖାଇ ରତ୍ନଭଣ୍ଡାର ଖୋଲିବାକୁ ଏଡ଼ାଇ ଆସୁଛନ୍ତି । ସନାତନ ଧର୍ମ ଓ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏସବୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ସନ୍ଦେହ ଘେରରେ ସରକାରଙ୍କ ଭୂମିକା । 

2018 ମସିହାରେ ମଧ୍ୟ ରତ୍ନଭଣ୍ଡାର ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ବାଧ୍ୟ ହୋଇ ନଇଁଥିଲେ ସରକାର । 17 ଜଣିଆ କମିଟି ରତ୍ନଭଣ୍ଡାର ଯାଂଚ ପାଇଁ ଯାଇଥିଲେ ବି ଭିତର ରତ୍ନଭଣ୍ଡାର ଦେଖିପାରିନଥିଲେ। ସେତେବେଳେ ଚାବି ହଜିଯିବା ବାହାନା କରିଥିଲେ ସରକାର। ତେବେ ବାହାର ରତ୍ନଭଣ୍ଡାରରୁ ଅନୁଧ୍ୟାନ କରି ସେତେବେଳେ କମିଟି ରିପୋର୍ଟ ଦେଇଥିଲା। ରତ୍ନଭଣ୍ଡାର କାନ୍ଥ, ଛାତ ସବୁ କିଛି ବିପଦଶଙ୍କୁଳ ଅବସ୍ଥାରେ। ତୁରନ୍ତ ମରାମତି ଆବଶ୍ୟକ। କିନ୍ତୁ 2018ରୁ ନେଇ 2023 ଯାଏଁ କାହିଁକି ଚୁପ୍ ବସିଛନ୍ତି ରାଜ୍ୟ ସରକାର ? ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କ ଭୟ କାହିଁକି ? 45 ବର୍ଷ ହେଲା କାହିଁକି ହେଉନାହିଁ ରତ୍ନଗଣନା ? ସୁରକ୍ଷିତ ଅଛି ତ ଶ୍ରୀଜୀଉଙ୍କ ରତ୍ନ ?  ରତ୍ନଭଣ୍ଡାର ଖୋଲିଲେ ଖୋଲିଯିବ କି ରାଜ୍ୟ ସରକାରଙ୍କ ପୋଲ୍ ? ସନାତନ ଧର୍ମ ଓ ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ ସ୍ପର୍ଶକାତର ପ୍ରସଙ୍ଗକୁ ନେଇ କାହିଁକି ଖେଳୁଛନ୍ତି ବିଜେଡି ସରକାର ? 

ବିଜେପି ସାଂସଦ ମାନେକା ଗାନ୍ଧିଙ୍କୁ ୧୦୦ କୋଟିର ମାନହାନୀ ନୋଟିସ ପଠାଇଲା ଇସ୍କନ


ନୂଆଦିଲ୍ଲୀ, ବିଜେପି ସାଂସଦ ମାନେକା ଗାନ୍ଧିଙ୍କୁ ୧୦୦ କୋଟି ଟଙ୍କାର ମାନହାନୀ ନୋଟିସ ପଠାଇଛି ଇସ୍କନ। ଇସ୍କନ ଦୁନିଆର ସବୁଠୁ ବଡ଼ ଠକ ଓ ଏହି ଧାର୍ମିକ ସଂସ୍ଥା କଂସେଇ ହାତକୁ ଗାଈ ଟେକି ଦେଉଛି ବୋଲି ମାନେକା କହିଥିଲେ। ଏହାକୁ ଇସ୍କନ ଖଣ୍ଡନ କରିଥିଲା। ତେବେ ଆଜି ଇସ୍କନ ପକ୍ଷରୁ ମାନେକା ଗାନ୍ଧିଙ୍କୁ ୧୦୦ କୋଟି ଟଙ୍କାର ମାନହାନୀ ନୋଟିସ କରାଯାଇଛି।

ଏହାର ଉପ ସଭାପତି ରାଧାରମଣ ଦାସ କହିଛନ୍ତି, ଆଜି ଆମେ ଇସ୍କନ ବିରୋଧୀରେ ସଂପୂର୍ଣ୍ଣ ଭିତ୍ତିହୀନ ଆରୋପ ଲଗାଇଥିବା ମାନେକା ଗାନ୍ଧିଙ୍କୁ ୧୦୦ କୋଟି ଟଙ୍କାର ମାନହାନୀ କେସ୍‌ ନୋଟିସ ପଠାଇଛୁ। ସେ କରିଥିବା ଅଭିଯୋଗରେ ଇସ୍କନର ଶ୍ରଦ୍ଧାଳୁ, ସମର୍ଥକ ଓ ଶୁଭେଚ୍ଛୁମାନେ ଗଭୀର ଭାବେ ମର୍ମାହତ ହୋଇଛନ୍ତି।ମାନେକା ଅଭିଯୋଗ କହିଥିଲେ ଯେ ଇସ୍କନ ନିଜ ଗୋଶାଳାରୁ ଗାଈମାନଙ୍କୁ କଂସେଇକୁ ବିକ୍ରି କରି ଦେଉଛି। ଏପରିକି ଇସ୍କନ ଯେତେ ଗାଈ ବିକ୍ରି କରୁଛନ୍ତି, ଅନ୍ୟ କେହି ବି ସେହି ପରିମାଣର ଗାଈକୁ ବିକ୍ରି କରୁ ନାହାନ୍ତି। ଗୋଶାଳା କରିବା ନିମନ୍ତେ ଇସ୍କନ ସରକାରଙ୍କଠାରୁ ବହୁ ଜମି ହାତେଇଛି। କିଛି ଦିନ ପୂର୍ବେ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଗୋଶାଳା ପରିଦର୍ଶନ କରିଥିଲି। ସେଠାରେ ଗୋଟିଏ ବି ବୁଢ଼ି ଗାଈ କି ବାଛୁରୀ ନାହାନ୍ତି। ଫଳରେ ସେମାନେ ସବୁ ଗାଈ ବିକ୍ରି କରି ଦେଉଥିବା ସ୍ପଷ୍ଟ ହେଉଛି।

ଯେତକ ଗାଇ ଅଛନ୍ତି ସମସ୍ତେ କ୍ଷୀର ଦେଉଛନ୍ତି। ତେଣୁ ଏମାନେ ଯେତେ ଗାଈ ବିକୁଛନ୍ତି, ତାହା ଆଉ କେହି କରୁ ନାହାନ୍ତି। ଯଦି ସେମାନେ ଏପରି କରିବେ, ଅନ୍ୟମାନେ କ’ଣ କରୁଥିବେ ଭାବନ୍ତୁ? ବାଟଘାଟରେ ହରେ ରାମ ହରେ କୃଷ୍ଣ କରୁଥିବା ବେଳେ ଅସଲ ମୁଖା କିନ୍ତୁ ଭିନ୍ନ ବୋଲି ସେ ଅଭିଯୋଗ କରିଥିଲେ।

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget