ତାଜା ଖବର

କେମିତି ଅଛି ଶିକ୍ଷକମାନଙ୍କ ମାନସିକ ସ୍ୱାସ୍ଥ୍ୟ? ୧୫ ପର୍ଯ୍ୟନ୍ତ ଚାଲିବ ସର୍ଭେ । ସାମିଲ ହେବେ ସବୁ ସରକାରୀ ସ୍କୁଲ


ଭୁବନେଶ୍ବର,ରାଜ୍ୟରେ ଏବେ ସମସ୍ତ ସରକାରୀ ସ୍କୁଲରେ ଶିକ୍ଷକମାନଙ୍କ ମାନସିକ ସ୍ୱାସ୍ଥ୍ୟ ସର୍ଭେ କାର୍ଯ୍ୟକ୍ରମ ଜାରି ରହିଛି । ଏହି ସର୍ଭେରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ମୋଟ ପ୍ରାୟ ୬୧ହଜାର ସ୍କୁଲ ସାମିଲ୍ ହୋଇଛନ୍ତି । ଚଳିତମାସ ୧୫ତାରିଖ ପର୍ଯ୍ୟନ୍ତ ଏହି ସର୍ଭେ ଜାରି ରହିବ । ଏହି ସର୍ଭେ ମାଧ୍ୟମରେ ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ କାର୍ଯ୍ୟରତ ପ୍ରାୟ ୨.୦୭ଲକ୍ଷ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ମାନସିକ ସ୍ଥିତି କିଭଳି ରହିଛି ତାହା ଜାଣିବାକୁ ପ୍ରୟାସ କରାଯାଉଛି । ଜାତୀୟ ଶିକ୍ଷା ନୀତି-୨୦୨୦ର ପ୍ରାବଧାନ ଅନୁସାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ‘ମନୋଦର୍ପଣ’ କାର୍ଯ୍ୟକ୍ରମ ଆଧାରରେ ଏହି ମାନସିକ ସ୍ୱାସ୍ଥ୍ୟ ସର୍ଭେ ଚାଲିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ରାଜ୍ୟ ସରକାର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି କେନ୍ଦ୍ର ସରକାରଙ୍କ ଏହି ମାନସିକ ସ୍ୱାସ୍ଥ୍ୟ ସର୍ଭେରେ ସବୁ ସରକାରୀ ସ୍କୁଲ ଯେଭଳି ସାମିଲ ହେବେ ତାହା ସୁନିଶ୍ଚିତ କରିବାକୁ କହିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରାଚୀ ପାଣ୍ଡେ ଗତମାସରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବଙ୍କୁ ଚିଠି ଲେଖି ଏହି ସର୍ଭେରେ ରାଜ୍ୟର ସରକାରୀ ସ୍କୁଲର ଶିକ୍ଷକମାନଙ୍କ ସାମିଲ ସୁନିଶ୍ଚିତ କରିବାକୁ ଅନୁରୋଧ କରିଥିଲେ । ଏହି ସର୍ଭେ କେନ୍ଦ୍ର ସରକାରଙ୍କୁ ଶିକ୍ଷକମାନଙ୍କୁ ସହାୟତା ଓ ସେମାନଙ୍କ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ,  ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଓ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବାରେ ଶିକ୍ଷକମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । 

ଯେହେତୁ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବାରେ ଶିକ୍ଷକମାନଙ୍କ ଭୂମିକା ରହିଥାଏ ତେଣୁ ସେମାନଙ୍କ ଚିନ୍ତାକୁ ଜାଣିବା ସହ ଶୈକ୍ଷିକ ବାତାବରଣ ଉପରେ ସେମାନଙ୍କ ସମ୍ଭାବ୍ୟ ପ୍ରଭାବକୁ ସ୍ୱୀକୃତି ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶିକ୍ଷା ମନ୍ତ୍ରଣାଳୟ ‘ମନୋଦର୍ପଣ’ କାର୍ଯ୍ୟକ୍ରମ ମାଧ୍ୟମରେ କୋଭିଡ୍ ମହାମାରୀ ସମୟରେ ଓ ତା’ପରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ସେମାନଙ୍କ ପରିବାରର ମାନସିକ ସ୍ୱାସ୍ଥ୍ୟରେ ସୁଧାର ନିମନ୍ତେ ମନସ୍ତାତ୍ତ୍ୱିକ ସହାୟତା ପ୍ରଦାନ ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଛି । ତେଣୁ ଏହି ଆଧାରରେ ଦେଶର ବିଭିନ୍ନ ଭାଗରେ ଶିକ୍ଷକମାନଙ୍କ ଏହି ମାନସିକ ସ୍ୱାସ୍ଥ୍ୟ ସର୍ଭେ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ । ଏଥିପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁଗଲ ଲିଙ୍କ୍ ପ୍ରଦାନ କରାଯାଇଛି । ଏହି ଅନଲାଇନ୍ ଲିଙ୍କ୍ ମାଧ୍ୟମରେ ସେଥିରେ ଥିବା ନିର୍ଦ୍ଧାରିତ ଫର୍ମ ପୂରଣ କରିବାକୁ କୁହାଯାଇଛି । ସରକାରୀ ସ୍କୁଲଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକମାନେ ଉକ୍ତ ଗୁଗଲ ଲିଙ୍କକୁ ଯାଇ ସେଥିରେ ଥିବା ଫର୍ମକୁ ପୂରଣ କରିବାକୁ କୁହାଯାଇଛି । ଏହି ଫର୍ମଗୁଡ଼ିକ ନିଶ୍ଚିତ ଭାବେ ଚଳିତମାସ ୧୫ତାରିଖ ସୁଦ୍ଧା ପୂରଣ ହେବା ଜରୁରୀ ।

ସୂଚନାଯୋଗ୍ୟ, ରାଜ୍ୟର ମୋଟ ପ୍ରାୟ ୬୧୯୦୦ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ଏହି ସର୍ଭେ କରାଯାଉଛି । ରାଜ୍ୟର ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ସ୍କୁଲଗୁଡ଼ିକରେ ପ୍ରାୟ ୫୩.୬୮ଲକ୍ଷ ଛାତ୍ରଛାତ୍ରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ୫.୭୫ଲକ୍ଷ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ସେମାନଙ୍କୁ ପ୍ରାୟ ୨.୦୭ଲକ୍ଷ ଶିକ୍ଷକଶିକ୍ଷୟିତ୍ରୀ ପାଠ ପଢ଼ାଉଥିବା ଜଣାପଡ଼ିଛି ।

ରୋଗୀଙ୍କୁ ଦିଆଯିବ ମ୍ୟୁଜିକ୍‌ ଥେରାପି । କଟକ ବଡ଼ ଡାକ୍ତରଖାନା ICUରେ ବାଜିବ ଇନ୍‌ଷ୍ଟ୍ରୋମେଣ୍ଟାଲ୍‌ ମ୍ୟୁଜିକ


କଟକ, ବଡ଼ ମେଡ଼ିକାଲ୍‌ରେ ରୋଗୀଙ୍କୁ ଦିଆଯିବ ମ୍ୟୁଜିକ୍‌ ଥେରାପି। ତାହା ପୁଣି ଆଇସିୟୁରେ। ମେଡିକାଲ୍‌ର ବିଭିନ୍ନ ବିଭାଗର ଆଇସିୟୁ ଓ ଆଇସିୟୁ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ୨୪ ଘଣ୍ଟା ଦିଆଯିବ ମ୍ୟୁଜିକ୍‌ ଥେରାପି। ଏଥିରେ କୌଣସି ନିର୍ଦ୍ଦିଷ୍ଟ ଭଜନ ବାଜିବ ନାହିଁ। କେବଳ ଇନ୍‌ଷ୍ଟ୍ରୋମେଣ୍ଟାଲ୍‌ ମ୍ୟୁଜିକ(ବାଦ୍ୟଯନ୍ତ୍ର ଧ୍ୱନୀ) ବାଜିବ। ବୁଧବାର ବସିଥିବା ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦୁଇ ମାସ ଭିତରେ ଏହି ସେବା କାର୍ଯ୍ୟକାରୀ କରିବା ପାଇଁ ଯୋଜନା ରଖାଯାଇଛି।

ମ୍ୟୁଜିକ ଥେରାପି ନେଇ ଏସ୍‌ସିବି ମେଡ଼ିକାଲ୍‌ କୁଳସଚିବ ଡାକ୍ତର ଅବିନାଶ ରାଉତ କହିଛନ୍ତି, ରୋଗୀମାନଙ୍କୁ ଭଲ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ପ୍ରତି ଦୁଇ ମାସରେ ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକ ବସୁଛି। ଏଥର ବୁଧବାର ବସିଥିଲା ବୈଠକ। ଏଥିରେ ମେଡ଼ିକାଲ୍‌ ସୁପାରିନ୍‌ଟେଣ୍ଡେଣ୍ଟ, ଡିନ୍‌, ପ୍ରଫେସର, ସ୍ୱାସ୍ଥ୍ୟ ବିକାଶ ସମିତିର ଚୟାରମ୍ୟାନ୍‌ ତଥା ସିଏମ୍‌ସି କମିଶନର ଯୋଗଦେଇଥିଲେ। ଆଲୋଚନା ବେଳେ ଆଇସିୟୁରେ ଇନ୍‌ଷ୍ଟ୍ରୋମେଣ୍ଟାଲ୍‌ ମ୍ୟୁଜିକ୍‌ ବଜାଇବା ପାଇଁ କିଛି ସଭ୍ୟ ଯୁକ୍ତି ବାଢ଼ିଥିଲେ। ଇନ୍‌ଷ୍ଟ୍ରୋମେଣ୍ଟାଲ୍‌ ମ୍ୟୁଜିକ୍‌ ରୋଗୀ ସୁସ୍ଥ ହେବାରେ ସହାୟକ ହୋଇଥାଏ ବୋଲି ମତପ୍ରକାଶ ପାଇଥିଲା। ଏହା ଉପରେ ତର୍ଜମା କରାଯିବା ପରେ ପ୍ରତ୍ୟକ ବିଭାଗରେ ଥିବା ଆଇସିୟୁରେ ଇନ୍‌ଷ୍ଟ୍ରୋମେଣ୍ଟାଲ୍‌ ମ୍ୟୁଜିକ୍‌ ବଜାଇବା ପାଇଁ ନିଷ୍ପତ୍ତି ହୋଇଛି। ମାସେ ଭିତରେ କାମସାରିବାକୁ ସ୍ୱାସ୍ଥ୍ୟ ବିକାଶ ସମିତି ଚେୟାରମ୍ୟାନ୍‌ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଡାକ୍ତର ରାଉତ କହିଛନ୍ତି।

ସେ ଆହୁରି କହିଛନ୍ତି, ପ୍ରତି ଆଇସିୟୁର ୱାର୍ଡରେ ଇନ୍‌ଷ୍ଟ୍ରୋମେଣ୍ଟାଲ୍‌ ମ୍ୟୁଜିକ୍‌ ସରଞ୍ଜାମ ଖଞ୍ଜିବା ପାଇଁ ସରକାରୀ ନିୟମ ଅନୁସାରେ ଟେଣ୍ଡର କରାଯିବ। ଏଥିସହ ତଦାରଖ ପାଇଁ ଜଣଙ୍କୁ ଦିଆଯିବ। ସେଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ମ୍ୟୁଜିକ ଥେରାପିର କିଛି ଖରାପ ପ୍ରଭାବ ରୋଗୀଙ୍କ ଉପରେ ପଡ଼ିବ ନାହିଁ। ବରଂ ରୋଗୀ ଆରୋଗ୍ୟ ହେବାରେ ସହାୟକ ହୋଇଥାଏ। ମ୍ୟୁଜିକ ଥେରାପିରେ କୌଣସି ନିର୍ଦ୍ଦିଷ୍ଟ ଭଜନ ବାଜିବ ନାହିଁ। କେବଳ ଇନ୍‌ଷ୍ଟ୍ରୋମେଣ୍ଟାଲ୍‌ ମ୍ୟୁଜିକ ବାଜିବ ବୋଲି ଡାକ୍ତର ରାଉତ କହିଛନ୍ତି।

ଦିଲ୍ଲୀର ମଦ ଦୁର୍ନୀତି ଓ ଆର୍ଥିକ ହେରଫେର ମାମଲାରେ ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଗିରଫ


ନୂଆଦିଲ୍ଲୀ,ଆମ୍ ଆଦମୀ ପାର୍ଟି(ଆପ୍)କୁ ଆଉ ଏକ ଝଟକା। ଗିରଫ ହେଲେ ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ତାଙ୍କୁ ଗିରଫ କରିଛି। ଦିଲ୍ଲୀର ମଦ ଦୁର୍ନୀତି ଯାଞ୍ଚ ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଛନ୍ତି ସଞ୍ଜୟ ସିଂହ। ଏହି ମାମଲାରେ ଆଜି ସାଂସଦଙ୍କ ଦିଲ୍ଲୀ ବାସଭବନରେ ଖୋଳତାଡ କରିଥିଲା ଇଡି। ସକାଳଠାରୁ ସାଂସଦଙ୍କ ଘରେ ଖାନତଲାସୀ ଜାରି ରଖିବା ପରେ ଶେଷରେ ଅପରାହ୍ଣରେ ସଞ୍ଜୟ ସିଂହଙ୍କୁ ଗିରଫ କରିଛି।

ଲିକର୍ ପଲିସି ମାମଲାର ଅଭିଯୁକ୍ତ ଦିନେଶ ଆରୋରା ସଞ୍ଜୟ ସିଂହଙ୍କ ନାମ ନେବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଥିଲା ଇଡି। ଆରୋରା କହିଥିଲେ ଯେ, ସଞ୍ଜୟ ତାଙ୍କୁ ମନିଷ ସିସୋଦିଆଙ୍କ ସହ ଯୋଗାଯୋଗ କରାଇଥିଲେ। ଲିକର୍ ପଲିସି ଘୋଟାଲା ସମୟରେ ସିସୋଦିଆ ଅବକାରୀ ମନ୍ତ୍ରୀ ଥିଲେ। ପ୍ରକାଶ ଥାଉକି ଉଭୟ ସିସୋଦିଆ ଏବଂ ଆରୋରା ଜେଲରେ ଅଛନ୍ତି।ତେବେ ଦଳର ପ୍ରମୁଖ ନେତା ଗିରଫ ତାଲିକାର ତିନି ନଂରେ ଅଛନ୍ତି ସଞ୍ଜୟ। ଗତ ବର୍ଷ ମେ' ମାସରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ ହୋଇଥିଲେ। ସେ ମଧ୍ୟ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିଲେ। ଦଳ ପାଇଁ ସବୁଠାରୁ ବଡ ଝଟକା ଚଳିତ ବର୍ଷ ଫେବୃଆରୀରେ ଲାଗିଥିଲା। 

ଫେବ୍ରୁଆରୀରେ ଦିଲ୍ଲୀର ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ତଥା ଅରବିନ୍ଦ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ। ସିସୋଦିଆଙ୍କୁ ସିବିଆଇ ଲିକର୍ ପଲିସି ଦୁର୍ନୀତି ମାମଲାରେ ଗିରଫ କରିଥିଲା।

ଭୁବନେଶ୍ବରକୁ ବୁଲାଗୋରୁ ମୁକ୍ତ କରିବେ ସରକାର । କାର୍ଯ୍ୟରେ ବାଧା ଦେଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ


ଭୁବନେଶ୍ବର, ଭୁବନେଶ୍ବରକୁ ବୁଲାଗୋରୁ ମୁକ୍ତ କରିବା ପାଇଁ ବିଏମ୍‌ସି ନିଷ୍ପତ୍ତି ନେଇଥି‌ଲେ ମଧ୍ୟ ତାହା ସଫଳ ହେଉନାହିଁ। ବୁଲା ଗୋରୁଙ୍କୁ ଉଠାଇ ନେବା ‌ବେଳେ କେତେକ ଲୋକ କାର୍ଯ୍ୟରେ ବାଧା ଦେଉଥିବାରୁ ସମସ୍ୟା ହୋଇଛି। ଫଳରେ ଦୀର୍ଘ ଦିନ ହେବ ବୁଲା ଗୋରୁ ନିୟମିତ ଉଠା‌ଯାଇ ପାରୁନାହିଁ। ଠିକା ନେଇଥିବା ସଂସ୍ଥା ଏ ନେଇ ନିଜର ଅସହାୟତା ପ୍ରଦର୍ଶନ କରିବାରୁ ଆଜି ଏ ନେଇ ମାନସମନ୍ଥନ ହୋଇଛି। କାର୍ଯ୍ୟକ୍ରମର ସଫଳତା ପାଇଁ ବିଏମ୍‌ସି କମିସନରେଟ୍‌ ପୁଲିସର ସହଯୋଗ ଲୋଡ଼ିଛି। ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ସମୀକ୍ଷା ବୈଠକରେ କମିସନରେଟ୍‌ ପୁଲିସ ଏହି କାର୍ଯ୍ୟରେ ସହଯୋଗ କରିବାକୁ ସ୍ବୀକୃତି ଦେଇଛି। ଆଗକୁ ଏହି କାର୍ଯ୍ୟରେ କେହି ବାଧା ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ସହରରୁ ବୁଲା ଗାଈଗୋରୁଙ୍କୁ ଉଠାଇବା ପାଇଁ ବିଏମ୍‌ସି ୪ଟି ଏଜେନ୍‌ସିଙ୍କୁ ନିୟୋଜିତ କରିଛି। ବିଶାଲ୍‌, ଆରକେ ଏଜେନ୍‌ସି, ଜେକେ ଏଜେନ୍‌ସି ଓ ଭାଷା ଏଜେନ୍‌ସି ଭଳି ୪ଟି ସଂସ୍ଥା ବୁଲାଗୋରୁଙ୍କୁ ଉଠାଇ ନେଇ ଗୋ’ଶାଳାରେ ଛାଡ଼ୁଛନ୍ତି। ଏଠାରୁ ୫ଟି ଗୋ’ଶାଳାକୁ ଗୋରୁ ଯାଉଛନ୍ତି। ଭୁବନେଶ୍ବର ଭିତରେ ଜାମୁକୋଳିରେ ଥିବା ଗୋ’ଶାଳାର କ୍ଷମତା ୭୦୦ ରହିଥିବା ବେଳେ ଜଟଣୀର ୫୦୦, ଖୋର୍ଦ୍ଧା(ସୁଷମା)ର ୩୦୦, ପୁରୀ ବାଲିଘାଇର ୧୦୦୦ ଓ ବ୍ରହ୍ମଗିରିର କ୍ଷମତା ୫୦୦ ରହିଛି। ଜାମୁକୋଳିରେ ଆଉ ଜାଗା ନାହିଁ। ଏହାର କଳେବର ବୃଦ୍ଧି କରିବା ପାଇଁ ଯେଉଁ ୨୦ ଏକର ଜାଗା ଦିଆଯାଇଛି ତାହାର କ୍ଷମତା ୫ ହଜାର ରହିଥିଲେ ମଧ୍ୟ ଏହା ପ୍ରସ୍ତୁତ ହେବାକୁ ଆଉ ୩ ମାସ ଲାଗିବ ବୋଲି କୁହାଯାଉଛି। ସହରରୁ ଗୋରୁ ଉଠାଇ ନେବାକୁ ଠିକା ନେଇଥିବା ସଂସ୍ଥାମାନଙ୍କୁ ଗୋରୁ ପିଛା ୨୨୮୬ ଟଙ୍କା ଦିଆଯାଉଛି। ଗୋ’ଶାଳାରେ ରକ୍ଷଣାବେକ୍ଷଣ କରୁଥିବା ସଂସ୍ଥାକୁ ଗୋରୁ ପିଛା ଦିନକୁ ୨୦୦ ଟଙ୍କା ଦିଆଯାଉଛି। ଏହି ଗୋରୁଙ୍କୁ ଉଠାଇ ନେଇ ଗୋ’ଶାଳାରେ ରଖିବା ପାଇଁ ମାସକୁ ବିଏମ୍‌ସି ପ୍ରାୟ ୧ କୋଟି ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି। ଏଯାବତ୍‌ ସହରରୁ ୨୦୦୦ରୁ ଅଧିକ ଗୋରୁ ନିଆଯାଇଛି। ଏବେ ଆହୁରି ୨ ହଜାରରୁ ବେଶି ଅଛନ୍ତି।

ନିକଟ ଅତୀତରେ ବଡ଼ଗଡ଼ ବ୍ରିଟ୍‌ କଲୋନିରେ ଏଜେନ୍‌ସି ଗୋରୁଙ୍କୁ ଉଠାଉଥିବା ବେଳେ ଏହାକୁ ବିରୋଧ କରି ଏକ ପରିବାର ଏଜେନ୍‌ସି କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। କେବଳ ପ୍ରତିବାଦ କରିନଥିଲେ ବରଂ ଗାଡ଼ିର ଫାଟକ ଖୋଲି ଦେବାରୁ ଅନ୍ୟ ଜାଗାରୁ ଉଠାଇ ଅଣାଯାଇଥିବା ଗୋରୁ ବି ସେଠାରେ ବାହାରି ଯାଇଥିଲେ। ମାମଲା ଥାନାକୁ ଯାଇଥିଲା। ଏଭଳି ଅନେକ ଜାଗାରେ ସଂସ୍ଥା ବିରୋଧର ଶିକାର ହେବା ପରେ ଗୋରୁ ଉଠାଇବା ବନ୍ଦ କରିଦେଇଥିଲା। ଗୋରୁଙ୍କ ପିଛା ଏତେ ଗୁଡ଼ାଏ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଗୋରୁ ନିୟମିତ ମରୁଥିବା ଅଭିଯୋଗ କରି ଲୋକମାନେ ଏଭଳି ବିରୋଧ କରୁଥିଲେ। ତେବେ ଏବେ ପୁଲିସ ସହାୟତାରେ ଗୋରୁ ଉଠାଇବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ଗୋଶାଳାରେ ଗୋରୁ ମରିବେ ନାହିଁ ବୋଲି କିଏ ପ୍ରତିଶ୍ରୁତି ଦେବ ସେ ଉତ୍ତର ନା ବିଏମ୍‌ସି ନା ଏଜେନ୍‌ସି ନା ଗୋଶାଳା କର୍ତ୍ତୃପକ୍ଷ, କାହା ପାଖରେ ନାହିଁ।

ବିଜେପିରେ ଯୋଗ ଦେବାର କିଛି ଘଣ୍ଟା ମଧ୍ୟରେ ଚର୍ଚ୍ଚରୁ ବହିଷ୍କାର ହେଲେ ପାଦ୍ରୀ


ତିରୁବନନ୍ତପୁରମ, କେରଳର ଏକ ଚର୍ଚ୍ଚର ଜଣେ ଫାଦର ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେବାରୁ ତାଙ୍କୁ ପାଦ୍ରୀ ପଦରୁ ହଟାଇ ଦିଆଯାଇଛି | ମିଳିଥିବା ସୂଚନା ମୁତାବକ କେରଳର ଇଡୁକିରେ ଥିବା ସିରୋ-ମାଲାବାର ଚର୍ଚ୍ଚର କ୍ୟାଥୋଲିକ୍ ପାଦ୍ରୀ କୁରିଆକୋସ ମଟମ ବିଜେପିରେ ଯୋଗ ଦେଇଥିଲେ | ଆଉ ବିଜେପିରେ ଯୋଗ ଦେବାର କିଛି ଘଣ୍ଟା ମଧ୍ୟରେ ଚର୍ଚ୍ଚରୁ ବହିଷ୍କାର କରାଯାଇଛି । ଚର୍ଚ୍ଚ ପକ୍ଷରୁ କୁହାଯାଇଛି ଯେ ପାଦ୍ରୀ କୁରିଆକୋସ ମଟମଙ୍କୁ ସାମୟିକ ଭାବେ ଡ୍ୟୁଟିରୁ ହଟାଇ ଦିଆଯାଇଛି | ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଫାଦର କୁରିଆକୋସ ମଟମ ସୋମବାର ଗାନ୍ଧୀ ଜୟନ୍ତୀରେ ବିଜେପିରେ ଯୋଗ ଦେଇଥିଲେ। ସେ ଇଡୁକି ଜିଲ୍ଲା ସଭାପତି କେ.ଏସ୍ ଅଜିଙ୍କ ଠାରୁ ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିଲେ।

ସେ ବିଜେପିରେ ଯୋଗଦେବା ମାତ୍ରେ କିଛି ଘଣ୍ଟା ମଧ୍ୟରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଚର୍ଚ୍ଚ ପକ୍ଷରୁ କୁହାଯାଇଛି ଯେ କୁରିଆକୋସ ମଟମଙ୍କୁ କର୍ତ୍ତବ୍ୟରୁ ସାମୟିକ ଭାବେ ଡ୍ୟୁଟିରୁ ହଟାଇଦିଆଯାଇଛି | ଜଣେ ଚର୍ଚ୍ଚ ମୁଖପାତ୍ର କହିଛନ୍ତି ଯେ ଆଇନ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେ କହିଛନ୍ତି ଯେ ଚର୍ଚ୍ଚର କୌଣସି ପାଦ୍ରୀ ରାଜନୈତିକ ଦଳରେ ଯୋଗ ଦେଇ ପାରିବେ ନାହିଁ କିମ୍ବା ସକ୍ରିୟ ଅଂଶଗ୍ରହଣ କରିପାରିବେ ନାହିଁ | ତେବେ ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ୭୪ ବର୍ଷୀୟ ପାଦ୍ରୀ କହିଛନ୍ତି ଯେ ବିଜେପି ଏକ ରାଜନୈତିକ ଦଳ, କୌଣସି ଖ୍ରୀଷ୍ଟିଆନ ବିଜେପିରେ ଯୋଗ ଦେଇ ପାରିବେ ନାହିଁ ବୋଲି ତ କୁହାଯାଇନାହିଁ । ବିଜେପିକୁ କେବଳ ରାଜନୈତିକ ଦଳ ଭାବରେ ଦେଖାଯିବା ଉଚିତ୍। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ସମସାମୟିକ ପ୍ରସଙ୍ଗ ଉପରେ ନଜର ରଖିଛନ୍ତି ଏବଂ ବିଜେପିରେ ଯୋଗଦେବା ପଛରେ କୌଣସି କାରଣ ନାହିଁ।

ଭାରତର କଠୋର ପଦକ୍ଷେପ । ବିଦେଶରେ ଖଲିସ୍ତାନୀ ପତାକା ଧରୁଥିବା ବ୍ୟକ୍ତିଙ୍କ ରଦ୍ଦ ହେବ ଓସିଆଇ ମାନ୍ୟତା


ନୂଆଦିଲ୍ଲୀ, ଖଲିସ୍ତାନୀଙ୍କ ବିରୋଧରେ ଭାରତ ସରକାର ଏବେ ଅଧିକ କଠୋର ପଦକ୍ଷେପ ନେବାକୁ ବିଚାର କରୁଛନ୍ତି । ଏକ ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଖଲିସ୍ତାନୀ ଆତଙ୍କବାଦ ଓ ଉଗ୍ରବାଦକୁ ପ୍ରୋତ୍ସାହନ ଦେଉଥିବା ଅନେକ ଲୋକଙ୍କଠାରୁ ନୂଆଦିଲ୍ଲୀ ଖୁବଶୀଘ୍ର ବିଦେଶୀ-ଭାରତୀୟ ନାଗରିକତା (ଓସିଆଇ) ମାନ୍ୟତା ଛଡ଼ାଇ ନେବ। ସୂତ୍ରରୁ ପ୍ରକାଶ ଯେ ସରକାର ମାମଲା ଭିତ୍ତିରେ କିଛି ବ୍ୟକ୍ତିଙ୍କ ବିରୋଧରେ ଏହି ପଦକ୍ଷେପ ନେଇପାରନ୍ତି। ବିଦେଶରେ ଖଲିସ୍ତାନୀ ପତାକା ଧରିବା ଓ ଅନ୍ୟପଟେ ଭାରତରେ ଥିବା ନିଜର କୃଷି ସମ୍ପତ୍ତିରୁ ଆୟ ଏକାଠି କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ଦୃଢ ମତ ପୋଷଣ କରୁଛନ୍ତି । 

ଭାରତୀୟ ଦୂତାବାସ ବାହାରେ ଚାଲିଥିବା ବିକ୍ଷୋଭକୁ ଦୃଷ୍ଟିରେ ରଖି ଏହି କଠୋର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ନିକଟରେ କିଛି ଛାତ୍ର ଅଧ୍ୟୟନ ଭିସାରେ ସେଠାକୁ ଯିବା ପରେ ବିଦେଶରେ ଥିବା ଭାରତୀୟ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବାରୁ ସରକାର ଅସନ୍ତୁଷ୍ଟ ଅଛନ୍ତି। ଓସିଆଇ ମାନ୍ୟତା ପ୍ରତ୍ୟାହାର କରି କେନ୍ଦ୍ର ସରକାର ସ୍ପଷ୍ଟ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ ଦେଶପ୍ରତି ଆନୁଗତ୍ୟକୁ ଖଲିସ୍ତାନୀଙ୍କ ଦ୍ବାରା କ୍ଷୁର୍ଣ୍ଣ କରିବାକୁ ଦିଆଯିବ ନାହିଁ ।

ସୂଚନାଯୋଗ୍ୟ ଯେ ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜର ହତ୍ୟା ମାମଲାରେ ଭାରତ ଓ କାନାଡା ମାଧ୍ୟମରେ ସମ୍ପର୍କ ଖରାପ ହୋଇଯାଇଛି । ଏହା ପରେ ଖଲିସ୍ତାନୀଙ୍କ ବିରୋଧରେ ଭାରତ ସରକାର କଠୋର ପଦକ୍ଷେପ ନେଉଛନ୍ତି ।

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget